Unknown

 

 

 

 

 

 

 

 

 

 

 

ଚନ୍ଦ୍ରଚାଳକ

ଯୁଧିଷ୍ଠିର ପଣ୍ଡା

 

ପ୍ରଥମ ଛାନ୍ଦ

(ଚନ୍ଦ୍ରକଳା ବର୍ଣ୍ଣନ)

 

(କହେ ରାଧା ବିମ୍ବାଧରି-ବୃତ୍ତେ)

 

ଅପର୍ଣ୍ଣା ପ୍ରଶନ୍ନ ହୁଅ, ଅତ୍ରାହି ଭଞ୍ଜନୀ ମୁହିଁ ତୋ ପୁଅ ଗୋ ।

ଅଘ-ନାଶିନୀ ହୁଅ ସଦୟ, ଜନନୀ ଗୋ ।୧।

ତୋ ପଦ-ପଙ୍କଜେ ଚିତ୍ତ, ଦେବାପାଇଁ ଦୀନ ନୁହେ ସମର୍ଥ ଗୋ ।

ଦୟା ଯାଚିଦିଅ ଆଦିମାତ, ଜନନୀ ଗୋ ।୨।

ଅନୁରାଗୀଙ୍କର ହିତେ, ତୋ କୃପାବଳରେ ଲେଖୁଛି ଏତେ ଗୋ ।

ଭାବି ଚନ୍ଦ୍ର ଚାଳକ ସୁଚିତ୍ତେ, ଜନନୀ ଗୋ ।୩।

ଶୁଣି ବୁଧେ ହେବେ ବୋଧ, ବିଧିରେ ମୂର୍ଖ ଲଭିବେ ବିଷାଦ ଗୋ ।

ଯେଣୁ ନ ପାଇବେ ଏଥୁଁ ଭେଦ, ସୁଜନେ ହେ ।୪।

କେବଣ ନାଗରୀ ଦିନେ, ମଧୁରେ କହଇ ସ୍ୱାମିର କାନେ ହେ ।

ପ୍ରାଣନାଥ କୁହ ଶ୍ରଦ୍ଧାମାନେ, ନାଗର ହେ ।୫।

ଚନ୍ଦ୍ରମା ସ୍ତିରୀ ଅଙ୍ଗରେ, କେଉଁ ତିଥିରେ କାହିଁ ବାସକରେ ହେ ।

ବାରେ ଶୁଣିବି ଶ୍ରଦ୍ଧା ଚିତ୍ତରେ, ନାଗର ହେ ।୬।

ନାଗରବର କହଇ, ପ୍ରଶ୍ନକୁ ଉତ୍ତର ଦେଉଛି ସହି ଗୋ ।

ଶରୀରରେ ସିନା ଚନ୍ଦ୍ର ଥାଇ, ନାଗରୀ ଗୋ ।୭।

 

ପ୍ରତିପଦେ ନିଶାକର, ବୃଦ୍ଧ ଅଙ୍ଗୁଳିରେ କରଇ ଘର ଗୋ ।

ପାଦେ ଥାଏ ଦ୍ୱିତୀୟା ରାତ୍ରର, ନାଗରୀ ଗୋ ।୮।

 

ତୃତୀୟେ ଗଳ୍ପରେ ଦାସ; ଚତୁର୍ଥୀରେ ଯାନୁପାଶେ ପ୍ରକାଶ ଗୋ ।

ପଞ୍ଚମୀରେ ନିବୀବନ୍ଧ ପାଶ, ନାଗରୀ ଗୋ ।୯।

 

ଷଷ୍ଠୀରେ ନାଭିମଣ୍ଡଳେ, ସପ୍ତମୀରେ ଚନ୍ଦ୍ର ହୃଦୟେ ମିଳେ ଗୋ ।

ଅଷ୍ଟମୀରେ ରହେ ବକ୍ଷସ୍ଥଳେ, ନାଗରୀ ଗୋ ।୧୦।

 

ନବମୀରେ ପୟୋଧରେ, ଦଶମୀରେ ରହେ ଗଣ୍ଡଯୁଗରେ ଗୋ ।

ଥାଇ ଏକାଦଶୀରେ ଅଧରେ, ନାଗରୀ ଗୋ ।୧୧।

 

ନୟନରେ ଦ୍ୱାଦଶୀରେ, ଶ୍ରବଣରେ ଥାଏ ତ୍ରୟୋଦଶୀରେ ଗୋ ।

ଚତୁର୍ଦ୍ଦଶୀ ଭୋଗ ନାସିକାରେ ନାଗରୀ ଗୋ ।୧୨।

 

ପୂର୍ଣ୍ଣମୀରେ ରହେ ଶିରେ, ମନେ ରଖ ସଖି ଶୁଣି କର୍ଣ୍ଣରେ ଗୋ ।

ପୁଣି କୃଷ୍ଣ ପକ୍ଷେ ଯେ ପ୍ରକାରେ, ନାଗରୀ ଗୋ ।୧୩।

 

କୃଷ୍ଣ ପକ୍ଷ କଥା ଶୁଣ, ପ୍ରତିପେ ତାଳୁକା ପରେ ରୋହଣ ଗୋ ।

ଦ୍ୱିତୀୟାରେ ଗଳଦେଶେ ଜାଣ, ନାଗରୀ ଗୋ ।୧୪।

 

ତୃତୀୟାରେ କଟିଦେଶ, ଚତୁର୍ଥୀରେ କଚଟିକି ପ୍ରବେଶ ଗୋ ।

ପଞ୍ଚମୀକି ଯାନୁ ପାଶେ ଦୃଶ୍ୟ, ନାଗରୀ ଗୋ ।୧୫।

 

ଷଷ୍ଠୀରେ ସ୍ତନଯୁଗରେ, ସପ୍ତମୀକି ଦେଖା ନାଭିଭାଗରେ ଗୋ ।

ଅଷ୍ଟମୀରେ ରହେ ନିତମ୍ବରେ, ନାଗରୀ ଗୋ ।୧୬।

 

ନବମୀକି ବାହୁ ଘେନେ, ଦଶମୀରେ ଜଙ୍ଘେ ଉଦେ ସଘନେ ଗୋ ।

ଏକାଦଶୀରେ ପାପୁଲି ସ୍ଥାନେ, ନାଗରୀ ଗୋ ।୧୭।

 

ପାଦଗଣ୍ଠି ଦ୍ୱାଦଶୀରେ, ନଖେ ପ୍ରକାଶଇ ତ୍ରୟୋଦଶୀରେ ଗୋ ।

କରାଙ୍ଗୁଳିରେ ଚତୁର୍ଦ୍ଦଶୀରେ, ନାଗରୀ ଗୋ ।୧୮।

 

ଅମାବାସ୍ୟା ନିଶୀଥରେ, ଗୋଇଠି ପାଶରେ ସେ ବାସ କରେ ଗୋ ।

ଏ ପ୍ରମାଣେ ବରଷେ ଗତିରେ; ନାଗରୀ ଗୋ ।୧୯।

 

କହେ ଦ୍ୱିଜ ଯୁଧିଷ୍ଠିର, ଶେଷ କରି ନୋହେ ପୀରତି ଗୀର ଗୋ ।

ତେଣୁ ଠିକେ କରୁଛି ପ୍ରଚାର, ସୁଜନେ ଗୋ ।୨୦।

Image

 

ଦ୍ୱିତୀୟ ଛାନ୍ଦ

(ପୁରୁଷଙ୍କ ଲକ୍ଷଣ)

 

(କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ-ବୃତ୍ତେ)

 

ଏଥୁଁ ଅନ୍ତେ ଶୁଣ ସୁରସ ଆହେ ବିଦୂଷ ଜନେ,

 

କାମ ସାଗରେ ପଡ଼ି ନାରୀ ପଚାରଇ ସଘନେ

।୧।

ବୁଝାଇ କହନ୍ତୁ ପ୍ରାଣେଶ ପୁରୁଷଙ୍କ ଲକ୍ଷଣ,

 

କେତେ ଜାତି ଛନ୍ତି ପୁରୁଷ ଫେଡ଼ି କୁହ ସେମାନ

।୨।

କେଉଁ ପୁରୁଷକୁ କେମନ୍ତେ ଚିହ୍ନ କୁହ କିପରି,

 

କି ଲକ୍ଷଣ କେଉଁ ପୁରୁଷ ଥାନ୍ତି ହୃଦରେ ଧରି

।୩।

ତୁମ୍ଭ ମୁଖୁ ଏହା ଶୁଣିଣ ହୋଇବି ମୁଁ କୃତାର୍ଥ,

 

ଏ ଛାର ଜୀବନ ଗୋଟାକୁ କରିବି ଚରିତାର୍ଥ

।୪।

ତୁମ୍ଭେ ଅଟ କଳ୍ପଦ୍ରୂମ ଯେ ମୁଁ ଆଶ୍ରୟ ଲତିକା,

 

କପଟ ନ କରି ବୁଝାଇ ଦେବ ପରାଣସଖା

।୫।

ଶୁଣିଣ ନାଗର କହଇ ଶୁଣ ପ୍ରାଣମିତଣି,

 

ଯେତେ ପୁରୁଷଙ୍କ ଲକ୍ଷଣ ତୋତେ କହିବା ପୁଣି

। ୬ ।

ଚାରିଜାତି ହୋଇ ପୁରୁଷ ଏ ସଂସାରେ ଅଛନ୍ତି,

 

ନାରୀ ଚାରି ଜାତି ତାହାଙ୍କୁ ଖଞ୍ଜିଛି ପ୍ରଜାପତି

।୭।

ପୁରୁଷ ଜାତିଙ୍କ ନାମ ଗୋ ଏବେ କହିବା ଶୁଣ,

 

ଶଶକ ମୃଗ ବୃଷ ଅଶ୍ୱ ଯାଣ ଏ ଚାରି ନାମ

।୮।

ପ୍ରଥମରେ ଶୁଣ ଶଶକ ଜାତି ପୁରୁଷ କଥା,

 

କନ୍ଧରୁ ତାର ନ ଛାଡ଼ନ୍ତି ମହାଲକ୍ଷ୍ମୀ ସର୍ବଥା

।୯।

ସୁଜ୍ଞାନୀ ସୁଭୋଗୀ ସୁଦାତା ସେହି ସୁସତ୍ୟବନ୍ତ,

 

ସୁବୁଦ୍ଧି ଯେ ସୁସାଧୁଶୀଳ ଦୟାଳୁ ସୁପଣ୍ଡିତ

।୧୦।

ସକଳ ଆତ୍ମାରେ ସର୍ବଦା ସମଦରଶୀ ଅଟେ,

 

ଆପଣାର ଆତ୍ମା ପରାୟେ ଚିହ୍ନଇ ସର୍ବ ଘଟେ

।୧୧।

ବତ୍ରିଶ ଲକ୍ଷଣ ସମ୍ପୂର୍ଣ୍ଣ ତା ଅଙ୍ଗେ ବିରାଜଇ,

 

ପଦ୍ମିନୀ ନାରୀ ସଙ୍ଗତରେ ସର୍ବଦା ବିଳସଇ

।୧୨।

ଲିଙ୍ଗଚକ୍ର ମାପ ତାହାର ଅଟଇ ଷଡ଼ାଙ୍ଗୁଳ,

 

ଏମନ୍ତେ ଶଶକ ପୁରୁଷ ଶାସ୍ତ୍ର ପୁରାଣେ ଠୁଳ

।୧୩।

ପୁଣି କହିବା ମୃଗ ଜାତି ପୁଂସର ଯେ ବିଧାନ,

 

ଚିତ୍ରିଣୀ ନାରୀ କରେ ଭୋଗ ସଖି ଶୁଣ ବହନ

।୧୪।

ଅତ୍ୟନ୍ତ ସୁନ୍ଦର ଶରୀର ସୁଯତନ ଗଠନ,

 

ପଚାରିଲୁ ଯେବେ ସଜନୀ ଶୁଣ ତା ଗୁଣମାନ

।୧୫।

ଧର୍ମରେ ମାନସ ତାହାର ଥାଏ ଅନୁବରତେ,

 

ପରମାର୍ଥ ଚିତ୍ତ ତାହାର ଗମଇ ତୀର୍ଥବ୍ରତେ

।୧୬।

କୋମଳ ମଧୁର ଭାଷୀ ସେ ସଦା ଶୁଦ୍ଧ ତା ଅଙ୍ଗ,

 

ଅଷ୍ଟାଙ୍ଗୁଳ ମାପ ପ୍ରମାଣ ଅଟେ ତାହାର ଲିଙ୍ଗ

।୧୭।

ଶୁଣ ଆଗୋ ପ୍ରାଣସଜନୀ ହୋଇଣ ଏକମନ,

 

ବୃଷ ପୁରୁଷର ଯେମନ୍ତ ଚିହ୍ନ ବର୍ଣ୍ଣ ଲକ୍ଷଣ

।୧୮।

ଶଙ୍ଖିନୀ ଜାତିୟା ସ୍ତିରୀକି ଭୋଗ କରଇ ସେହି,

 

ରସରେ ରସିକ ବିତର୍କ ତର୍କ ବହୁ ଜାଣଇ

।୧୯।

ଛତିଶ ରାଗରାଗିଣୀରେ ଗୀତ ଜାଣେ ସେ ଗାଇ,

 

ବାରାଙ୍ଗନା ମନ ମଜ୍ଜାଏ ନାନା ବାଦ୍ୟ ବଜାଇ

।୨୦।

ପଶା ଯୁଆ ଆଦି ଖେଳରେ ମାତେ ନାନାରଙ୍ଗରେ,

 

ଚିତ୍ତ ବିଭ୍ରମରେ ବସଇ ଗଣିକାଙ୍କ ସଙ୍ଗରେ

।୨୧।

ପୁରୁଷମାନଙ୍କ ମଧ୍ୟରେ କାମେ ଦ୍ୱିଗୁଣ ହୋଇ,

 

ଦଶ ଆଙ୍ଗୁଳି ଲିଙ୍ଗ ତାର ଜାଣ ପରାଣସହି

।୨୨।

ଅଶ୍ୱ ଜାତି ପୁଂସ ଲକ୍ଷଣ ସଖି କହିବା ଶୁଣ,

 

ପାଷାଣ୍ଡ ପାଷାଣ-ହୃଦୟ ତାର ଅଟଇ ଜାଣ

।୨୩।

ମାୟା ଛନ୍ଦ କୁଟ କପଟ ସେ ବହୁତ ଜାଣଇ,

 

ଅତ୍ୟାଚାରୀ ସଦାସର୍ବଦା ଗୁରୁଜନେ ନିନ୍ଦଇ

।୨୪।

ହସ୍ତିନୀ ନାରୀ ସଙ୍ଗତରେ ରସେ କରଇ ଭୋଗ,

 

ଦ୍ୱାଦଶାଙ୍ଗୁଳ ପରମାଣ ଅଟେ ତାହାରି ଲିଙ୍ଗ

।୨୫।

ଚାରିଜାତି ପୁଂସ ଲକ୍ଷଣ ଠିକେ କହିଲି ସହି,

 

ନାରୀ ଚାରିଜାତି ଲକ୍ଷଣ ପୁଣ ଦେବା ବୁଝାଇ

।୨୬।

ଅନୁରାଗେ ଆଗେ କହିଲି ଅନୁରାଗୀଙ୍କ ପାଣ୍ଠି,

 

ଲାଗି ଶାରଦା ପାଦେ ଲେଖେ ମାଗିଖିଆ ଯୁଧିଷ୍ଠି

।୨୭।

Image

 

ତୃତୀୟ ଛାନ୍ଦ

(ସ୍ତ୍ରୀ ଲକ୍ଷଣ)

 

(ବୋଲଇ ମାୟାଧିବର ଶୁଣ ଯୁବତୀ-ବୃତ୍ତେ)

 

ଏବେ ଶୁଣ ସଖି ସ୍ତିରୀ ଜାତି କାହାଣି,

 

ପଦ୍ମିନୀ ଚିତ୍ରିଣୀ ଯେ ଶଙ୍ଖିନୀ ହସ୍ତିନୀ

।୧।

ପଦ୍ମିନୀ ଅଙ୍ଗ ବାସଇ କମଳ ପୁଷ୍ପ,

 

ଚିତ୍ରିଣୀ ନାରୀର ଦେହ କର୍ପୂର ବାସ

।୨।

ଆଇଁଶିଆ ଗନ୍ଧ ଶଙ୍ଖିନୀର ହୁଅଇ,

 

ହସ୍ତିନୀର ମଇଁଷିଆ ଆମୋଦ ସହି

।୩।

ଯେଉଁ ପରି ଗନ୍ଧ ଯାର ଶୁଣିଲ କଥା,

 

ଆବର କହିବା ଚାଲିଚଲଣ ଗାଥା

।୪।

ପଦ୍ମିନୀର ହଂସଗତି ସୁନ୍ଦର ଆଭା,

 

ଚିତ୍ରିଣୀ ଗଜଗତିରେ ଯେହ୍ନେ ମଘବା

।୫।

ଶଙ୍ଖିନୀର ଦମଦମ ଶୁଭଇ ଚାଲି,

 

ହସ୍ତିନୀ ଚାଲିଲେ ଗଣ୍ଠି ଫୁଟଇ ଖାଲି

।୬।

କ୍ରୋଧ ହୋଇଲେ ପଦ୍ମିନୀ ହୁଅଇ କ୍ଷଣେ,

 

ଶାନ୍ତି ହୋଇ ରହେ ଶାସ୍ତ୍ର ପୁରାଣ ଭଣେ

।୭।

ଚିତ୍ରିଣୀର ଏକଘଡ଼ି କ୍ରୋଧ ବିଶେଷ,

 

ପୁଣି ତାର ହସ ମୁଖ ପାଣି ସଦୃଶ

।୮।

ଶଙ୍ଖିନୀ ପନ୍ଦର ଦିନ ରୋଷ କରଇ,

 

ମାନ ଅଭିମାନ ବହି କାନ୍ଦେ ସକାଇ

।୯।

ହସ୍ତିନୀ ସତର ଦିନ କରଇ ମାନ,

 

ଶାନ୍ତି କରିବାକୁ କେହି ନୁହନ୍ତି କ୍ଷମ

।୧୦।

ମନକୁ ହୋଇଣ ଶାନ୍ତ ପିକ ଯେସନେ,

 

କହଇ ମଧୁରବାଣୀ ହସ୍ତିନୀ ତେହ୍ନେ

।୧୧।

ଆବର କହିବା କଥା ସଜନୀ ହେଜ ,

 

ଶ୍ରୀସିଦ୍ଧ ଶାରଦା ସେବି ଭଣଇ ଯୂଜ

।୧୨।

Image

 

ଚତୁର୍ଥ ଛାନ୍ଦ

(ଜେମାଦେଈ-ରାଗରେ)

 

ଏଥୁଅନ୍ତେ ବୁଧେ ଶୁଣ, ସ୍ତିରୀଙ୍କ ବାଣୀ ଲକ୍ଷଣ,

ବୁଝାଇ ଦେଉଛି ଠିକେ, ମନଉଛୁକେ ଯେ ।୧।

ପଦ୍ମିନୀ ଭାଷିଲେ ବାକ୍ୟ, ଯେସନେ ରାବଇ ପିକ,

ଦର୍ପଣରୁ ବଳି ମୁଖ ଦିଶେ ପ୍ରତ୍ୟକ୍ଷ ଯେ । ୨ ।

ଅଳ୍ପ ଆହାରେ ସନ୍ତୋଷ, ହରଷ ମୁଖେ ବିଶେଷ,

ଶୁଭ୍ରାଙ୍ଗୀ ରାମା ସୁଶୀଳା, ପଦ୍ମିନୀ ବାଳା ଯେ ।୩।

ଚିତ୍ରିଣୀ ନାରୀର ଗୁଣ, କହୁଅଛି ଏବେ ଶୁଣ,

ପ୍ରାତଃକାଳୁ ଉଠେ ସେହି, ହରି ଭଜଇ ଯେ ।୪।

ବିକଚ ପଦ୍ମବଦନୀ, କୁରଙ୍ଗୀ ଶିଶୁନୟନୀ,

ଶରୀର ଗଉର ବର୍ଣ୍ଣ, ଗଜଗମନ ଯେ ।୫।

ମାନସେ କୁଟିଳା ସେଟି, କଠିନ କୁଚ ଦୁଇଟି,

ହେଉଥାଇ ନିତି ସଜ, ନାଗରୀ ରାଜ ଯେ ।୬।

ଚିତ୍ରିଣୀ ଲକ୍ଷଣ ସେହି, ବୁଝାଇ କହିଲି ସହି,

ଏବେ ଆନ କଥା ଶୁଣ, ଶଙ୍ଖିନୀ ଗୁଣ ଯେ ।୭।

ଦମ ଦମ ଚାଲି ତାର, ଉଚ୍ଚ ବକ୍ଷ ଖଣ୍ଡାଧାର,

ଯୁବା ପୁରୁଷଙ୍କୁ ଦେଖି, ଠାରଇ ଆଖି ଯେ ।୮।

ସୁଖେ ଉତ୍ତମ ପୀରତି, କରିବାକୁ ତାର ମତି,

ପୃଷ୍ଠ ବେନି କୁଚ ତାର, ମର୍ଦନେ ସାର ଯେ ।୯।

ବଣା ହେଲେ ରତିରସ, ତା ମନ ହୁଏ ବିରସ

ପ୍ରୀତି ହେଲେ ବହୁ ତାର, ପ୍ରଫୁଲ୍ଲାନ୍ତରେ ଯେ ।୧୦।

ହସ୍ତିନୀର ଗୁଣ ଶୁଣ, ଠିକେ କରୁଛି ବଖାଣ,

କାକପ୍ରିୟ ଗତି ତାର, ରସିକାବର ଯେ ।୧୧।

ଯୁବା ପୁରୁଷଙ୍କୁ ବକ୍ରେ, ଚାହିଁ ଦେଇ ସେ ଛଟକେ,

ମନକୁ ନିଅଇ କିଣି, ଚତୁରୀମଣି ଯେ ।୧୨।

ପିଙ୍ଗଳ ବର୍ଣ୍ଣ ତା କେଶ, ଦେହେଁ ଲୋମ ହୁଏ ଦୃଶ୍ୟ

ଦୀର୍ଘ ପୁରୁଷଙ୍କୁ ଚାହିଁ, ଉନ୍ନତ ହୋଇ ଯେ ।୧୩।

ହେଲେ ବହୁତ ଭୋଜନ, ଶାନ୍ତି ଥାଏ ତାର ମନ,

ପୃଥୁଳ ଉଚ୍ଚ କପାଳୀ, ବିକୃତ ବାଳୀ ଯେ ।୧୪।

ଶାସ୍ତ୍ର ପୁରାଣର ବାଣୀ, ସୁଜନ ହିତେ ବଖାଣି,

ଦ୍ୱିଜ ଯୁଧିଷ୍ଠିର ଭଣି, ପ୍ରୀତି କାହାଣି ଯେ ।୧୫।

Image

 

ପଞ୍ଚମ ଛାନ୍ଦ

(ବିଛା ସତର ଦିନ ଶନିବାର-ବୃତ୍ତେ)

 

ଏଥୁ ଅନ୍ତେ ସୁଜନେ ଶୁଣ ରସ,

 

ଯେଉଁ ତିଥିରେ ଯେଉଁ ନାରୀ ବଶ

।୧।

ଦ୍ୱିତୀୟା ଚତୁର୍ଦ୍ଦଶୀ ପଞ୍ଚମୀରେ,

 

ବଶ ହୁଅଇ ପଦ୍ମିନୀ ପ୍ରେମରେ

।୨।

ଷଷ୍ଠି ଦ୍ୱାଦଶୀ ପୁଣି ଚତୁର୍ଥୀରେ,

 

ବଶ ହୁଏ ଚିତ୍ରିଣୀ ଏ ତିଥିରେ

।୩।

ଏକାଦଶୀ ସପ୍ତମୀ ତ୍ରୟୋଦଶୀ,

 

ପ୍ରତିପରେ ଶଙ୍ଖିନୀ ରମେ ବେଶୀ

।୪।

ଅମାବାସ୍ୟା ପୂର୍ଣ୍ଣିମା ଯେ ଦଶମୀ,

 

ଏଥେ ହସ୍ତିନୀନାରୀ ବେଶୀ କାମୀ

।୫।

ଏଥି ତିଥିରେ ପାଇଲେ ରସିକ,

 

ରସେ ରସି ମଣଇ ସ୍ୱର୍ଗସୁଖ

।୬।

କିନ୍ତୁ ନାଗର ଏ ରସପାରକ,

 

ଚନ୍ଦ୍ର ସ୍ଥାନ ଚିହ୍ନି ଚାଳି ପରଖ

।୭।

ଦେହେଁ ଯେତେ ସ୍ଥାନରେ ବାସ କରେ,

 

ତାହା ବୁଝାଇ କହିବା ଠିକରେ

।୮।

ଶିର ଅଧର କଣ୍ଠ କପାଳରେ,

 

ନେତ୍ରେ କର୍ଣ୍ଣେ ଉରେ ନାଭିସ୍ଥଳରେ

।୯।

ଆଉ ଉରଜ ଜଘନ ଅଙ୍ଗୁଳି,

 

ପଦ ଅଗ୍ରେ ଜାନୁରେ ଗୁଳ୍ଫେ ମିଳି

।୧୦।

ଏତେ ସ୍ଥାନେ ବାସ କରଇ ଶଶୀ,

 

ଅନୁରାଗୀ ହିତେ ଗୀତେ ପ୍ରକାଶି

।୧୧।

ଚନ୍ଦ୍ରଚାଳକ ଏ ଶ୍ରୀ ଆତ୍ମଜ୍ଞାନ,

 

ଦୋଷାଦୋଷ ନ ଧରିବ ସୁଜନ

।୧୨।

ଠିକେ ନାୟିକା ଶୁଣି ହେଲା ବୋଧ,

 

ଶେଷ କରି ନୋହେ ପ୍ରୀତି ଅଗାଧ

।୧୩।

ସିଦ୍ଧ ଶାରଦା ମାତାଙ୍କ ଚରଣ,

 

ଚିନ୍ତା କରି ପଶିବାରୁ ଶରଣ

।୧୪।

ଯେଣୁ ସେ ନାମ ହୃଦେ କଲି ପାଣ୍ଠି,

 

ତେଣୁ ଲଭିଛି ଏ ପଦ ଯୁଧିଷ୍ଠି

।୧୫।

କିଲ୍ଲା ଅଷ୍ଟଦୁର୍ଗ ଜିଲା କଟକ,

 

ମଉଜା ବଳରାମ ପୁର ଟେକ

।୧୬।

ବେନି ଜନ୍ମା ଆନନ୍ଦ ମୋର ତାତ,

 

ମୁହିଁ ଅଟଇ ତାଙ୍କ ଜ୍ୟେଷ୍ଠ ସୁତ

।୧୭।

ମାତୃହୀନା ହୋଇ ବାଳକାଳରୁ,

 

ପରଦେଶେ ବୁଲେ କର୍ମଫଳରୁ

।୧୮।

ଅରଜନରେ ନାହିଁ ମୋ ଠିକଣା,

 

ପର ପୋଷି ଘରେ ସହେ ଗଞ୍ଜଣା

।୧୯।

କ୍ଷମା ମାଗୁଅଛି କ୍ଷମାନିଧିଙ୍କି,

 

ଦୁଃଖ ଖଣ୍ଡି ଦିଅ ସଦବୁଦ୍ଧିକି

।୨୦।

Image